ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ
CLYVNIQବାଇବଲର ଯାତ୍ରା କରନ୍ତୁ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଦ୍ବିତୀୟ ବଂଶାବଳୀ 18

1ଏହିରୂପେ ଯିହୋଶାଫଟ୍‍ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ; ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ। 2ଆଉ, କେତେକ ବର୍ଷ ଉତ୍ତାରେ ସେ ଶମରୀୟା ଦେଶରେ ଆହାବଙ୍କୁ ଦର୍ଶନ କରିବାକୁ ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ। 3ଇସ୍ରାଏଲର ରାଜା ଆହାବ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, ତୁମ୍ଭେ କି ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ ତହିଁରେ ସେ ଉତ୍ତର କଲେ, ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି; ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ। 4ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର। 5ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; ଆମ୍ଭେମାନେ କʼଣ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି? ତହିଁରେ ସେମାନେ କହିଲେ, ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ। 6ମାତ୍ର ଯିହୋଶାଫଟ୍‍ କହିଲେ, ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କେହି କି ଏଠାରେ ନାହିଁ? 7ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, ଆଉ ଜଣେ ଅଛି, ତାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ; ସେ ଇମ୍ଲର ପୁତ୍ର ମୀଖାୟ, ତହିଁରେ ଯିହୋଶାଫଟ୍‍ କହିଲେ, ରାଜା ଏପରି ନ କହନ୍ତୁ। 8ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ। 9ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍‍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ, 10ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ। 11ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, ରାମୋତ୍‍-ଗିଲୀୟଦକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। 12ପୁଣି, ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ। 13ତହୁଁ ମୀଖାୟ କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯାହା ମୋʼ ପରମେଶ୍ୱର କହିବେ, ତାହା ହିଁ ମୁଁ କହିବି। 14ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି? ତହୁଁ ସେ କହିଲା, ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ। 15ଏଥିରେ ରାଜା ତାହାକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି। 16ତହିଁରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି; ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ। 17ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, ଏ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହି ନାହିଁ? 18ପୁଣି ମୀଖାୟ କହିଲା, ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି। 19ତହିଁରେ ସଦାପ୍ରଭୁ କହିଲେ, ଇସ୍ରାଏଲର ରାଜା ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ? ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ। 20ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସୁଲାଇବି। ତହୁଁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ? 21ସେ କହିଲା, ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର। 22ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି। 23ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ? 24ତହିଁରେ ମୀଖାୟ କହିଲା, ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକୁ ଯିବ, ସେହି ଦିନ ତାହା ଜାଣିବ। 25ପୁଣି ଇସ୍ରାଏଲର ରାଜା କହିଲେ, ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇଯାଅ; 26ପୁଣି କୁହ, ରାଜା ଏହି କଥା କହନ୍ତି, ଏହାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ। 27ତହିଁରେ ମୀଖାୟ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ। 28ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ। 29ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ। 30ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର। 31ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, ଏ ଇସ୍ରାଏଲର ରାଜା। ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍‍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ। 32ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ। 33ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି। 34ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · ଲାଇସେନ୍ସ